କ୍ଷମାକର କ୍ଷମାକର !!!
By Brajanarayanan Panigrahi
ରତ୍ନ - ଗର୍ଭା ଭାରତର କୋଣେ ଅନୁକୋଣେ,
କେତେ ରତ୍ନ ହଜିଯାଏ ଅବିଚାରେ ନିତି ସଂଗୋପନେ।
ତ୍ୟାଗ ତିତିକ୍ଷାର ମୂଲ୍ୟ ନାହିଁ ଆଜି ଦେଶେ,
ନିଃସ୍ଵାର୍ଥ ସେବାର କେତେ ଉତ୍ତୁଙ୍ଗ ଆଦର୍ଶ,
କିଏ ବା ଜାଣୁଛି ଏଠି କାହିଁ କା’ର ବେଳ ?
ନେତାଜୀ ସୁବାଷ ଆଉ ଆଜାଦ୍ ହିନ୍ଦ୍ ର ତଥ୍ୟ,
ମାଷ୍ଟର ଦା’, ବିନୟ - ବାଦଲ - ଦୀନେଶ ଆତ୍ମ ବଳିଦାନ
ଯେଉଁ ମାନେ ତୁଚ୍ଛ କରି ଜୀବନର ମାୟା
ଆଙ୍କି ଗଲେ ମୁକତିର ରଙ୍ଗୀନ ସପନ !
ନାହିଁ ବି ପଟେଲ କିମ୍ବା ନନ୍ଦାଜୀଙ୍କ ନୀର୍ଭିକ ବ୍ୟକ୍ତିତ୍ଵ
କାହିଁ ତା’ର ଇତିହାସ ?
କ୍ଷମତାସୀନ ଶକ୍ତିର କଠୋର ନିର୍ଦ୍ଦେଶେ
ଇତିହାସ ବିକଳାଙ୍ଗ ଭ୍ରମାତ୍ମକ ଦ୍ଵନ୍ଦ୍ଵର ଅଧ୍ୟାୟ
ତେଣୁ ହେ ପତାକା ତ୍ରିରଙ୍ଗା କେତନ
ଏ ମାଟିର ମଣିଷ ଓ ଜାତିର ହେ ପବିତ୍ର ନିଶାଣ
କ୍ଷମାକର କ୍ଷମାକର ଅଧମ ସନ୍ତାନେ
ଯିଏ କେବେ ପରାଧୀନତାର ଦୁଃଖ ଭୋଗିନି ଜୀବନେ
ସେହିମାନେ ଏ ଦେଶର ଭାଗ୍ୟ ଡୋରି ଧରି
ଚିରଦିନ ଲଗାଇବେ ସ୍ଵାର୍ଥ - ଅର୍ଥ - କ୍ଷମତା ଲଢେଇ
ସାଧାରଣ ଜନତାକୁ ମୂକ ଆଉ ନୀରବ ସଜାଇ
ପ୍ରବଚନ - ପ୍ରବଞ୍ଚନା ଦେଇ ଚାଲିଥିବେ
କିଏ ଯଦି ବାଧା ଦେଲା, ପ୍ରତିବାଦ ସ୍ଵର ଉଠାଇଲା
ତା’ ପଛରେ କେତେ କ’ଣ ଆଇନ ଲଗାଇ
କାରାଗାରେ ନିକ୍ଷେପିତ ଅବା ହେବ ଚିର ଉପେକ୍ଷିତ
ବହୁ ଦଳ ସୃଷ୍ଟି କରି ଅର୍ଥ ବଳ ଅବା ବାହୁବଳେ
ଏକ ଦଳୁ ବିତାଡିତ ଆନ ଦଳେ ହେବେ ସମ୍ବୋଧିତ।।
ଦୁର୍ନୀତିର ହିସାବ ଚାଲେ କମିଶନ ବସେ
ପୁଣି କିଏ ନିଲମ୍ବିତ କିଛି ଦିନ ପରେ
ପୁନଃ ଅବସ୍ଥିତ ହୁଏ ଏଇ ଆମ ଗଣତନ୍ତ୍ର ସ୍ଵାଧୀନ ଦେଶରେ
କମିଶନ ରିପୋର୍ଟ ବି କାହିଁ ହଜିଯାଏ
ଉପରୁ ତଳଯା’ ଏଠି ଦୁର୍ନୀତିର ଶକ୍ତ ମୂଳଦୁଆ
ନିରପେକ୍ଷ ଆଇନ କି ନ୍ୟାୟ ତନ୍ତ୍ର ହୁଏ ନିୟନ୍ତ୍ରିତ
ତା’ ବାଟେ ଆଇନ ଚାଲେ କାହିଁ କା'ର ଭୟ !!!
ତେଣୁ ହେ ପତାକା !!!
କ୍ଷମାକର କ୍ଷମାକର ଏ ଅବୋଧ - ଅବାଧ୍ୟ ସନ୍ତାନେ
ମୁଖେ ଆମ ରାମନାମ ଅଣ୍ଟିରେ ଛୁରିକା
ଆମେତ ଦେଇନୁ କେବେ ବିନ୍ଦୁଏ ରକତ
ସଂଗ୍ରାମର ଦୀକ୍ଷା ନେଇ ବନ୍ଦେ ମାତରମ୍ କହି ଚଢ଼ି ନାହୁଁ ଫାଶୀ
ତେଣୁ ଆମେ ବା ବୁଝିବୁ କାହୁଁ ସ୍ଵାଧୀନତା ଦେଶର ମହତ ?
କେବେ ହେବ ଏସବୁର ସମାଧାନ ???
ବିଦେଶରୁ କଳା ଟଙ୍କା ନିଶ୍ଚୟ ଫେରିବ,
ଶାନ୍ତିର ସୁଦିନ - ସୂର୍ଯ୍ୟ ଉଇଁବ ଉଇଁବ,
ଅନ୍ଧ ରାତି ଚିରି ପ୍ରଭାତର ଅଭିଷେକ ହେବ !!!
By Brajanarayanan Panigrahi

Comments