ଭାଷା
By Anjla Paramguru
ଭାବ ଉଦ୍ରେକ ହେଲେ
ହୃଦୟ କନ୍ଦରେ ,
ସ୍ୱତଃ ସ୍ଫୁରଇ ଭାଷା
ମୁକ୍ତ କଣ୍ଠ ସ୍ଵରେ ;
ଛନ୍ଦୋବଦ୍ଧ ହେଉ ଅବା
ହେଉ ଛନ୍ଦହୀନ
ରୂପ ନିଏ ଲେଖନୀ ମୁନରେ।
ମାନେ ନାହିଁ ବାଧା ଓ ବନ୍ଧନ
ସେ ଯେ ଛଳଛଳ କଳକଳ
ସ୍ଵତଃ ସ୍ନିଗ୍ଧ ସୁଶୀତଳ ମଧୁଝର
ସତେ ଅବା ଅମୃତ ପୟ
ପୁଣ୍ୟତୋୟା ମନ୍ଦାକିନୀର ।
କଲ୍ୟାଣମୟୀ ସେ
ବିକିରିତ କରେ ଜ୍ୟୋତ୍ସ୍ନା ଜନହିତେ
ଦଗ୍ଧିଭୂତ ପ୍ରାଣ କ୍ଷଣେ
ହୁଏ ଆହ୍ଲାଦିତ,
ସ୍ମିତ ଟିଏ ଖେଳିଯାଏ,
ନବଘନେ ଉଦ୍ଭାଷିତ
ଚପଳା ପରାଏ ।
ଭାଷା ,-------
ଭାଷା ବେଗମୟୀ ,
ଆବେଗମୟୀ ସେ
ଆବଦ୍ଧିତା ନୋହିପାରେ
ନିର୍ଦ୍ଦିଷ୍ଟ ଏକ ପରିଧି ମଧ୍ୟରେ।
ପାଗଳିନୀ ପ୍ରାୟ
ପ୍ରଧାବିତା ସିଏ,
ଶୃଙ୍ଗାରିତା ହୁଏ
ଆପଣାର ଛାଏଁ ।
ସ୍ଵତଃ ସୃଜିତା ସେ ତ
ନୁହେଁ ପରାଙ୍ ମୁଖା ,
ବାଙ୍ ମୟୀଙ୍କର
ଅଟଇ ବାଙ୍ ମିତା ।
By Anjla Paramguru

Comments